ଜିଲ୍ଲା ସମ୍ବନ୍ଧରେ

ବାଲେଶ୍ୱର ଓଡିଶାର ଏକ ଉପକୂଳବର୍ତ୍ତୀ ଜିଲ୍ଲା । ଏହା ରାଜ୍ୟର ଉତ୍ତରରେ ଅବସ୍ଥିତ । ଏହା ପ୍ରାଚୀନ କଳିଙ୍ଗର ଅଂଶ ବିଶେଷ ଯାହା ପରବର୍ତ୍ତୀ ସମୟରେ ତୋଷଳ କିମ୍ବା ଉତ୍କଳ ଭାବେ ରହିଥିଲା । ଏହା ଏକ ସ୍ୱତନ୍ତ୍ର ଜିଲ୍ଲା ଭାବେ ୧୮୨୮ (୧୮୨୭) ମସିହାରେ ସୃଷ୍ଟି ହୋଇଥିଲା । ପ୍ରାରମ୍ଭରୁ ଏହା ବେଙ୍ଗଲ ପ୍ରେସିଡେନସି ଅଧିନରେ ଥିଲା । ୨୦୧୧ ମସିହା ଜନଗଣନା ଅନୁଯାୟୀ ଏହାର ଜନସଂଖ୍ୟା ୨୩,୧୭ ,୪୧୯ ଥିବାବେଳେ ଭୌଗଳିକ ଆୟତନ ରହିଛି ୩୬୩୪ ବର୍ଗ କିଲୋମିଟର । ଜିଲ୍ଲାର ପୂର୍ବ ଦିଗରେ ବଙ୍ଗୋପ ସାଗର, ଉତ୍ତରରେ ପଶ୍ଚିମବଙ୍ଗର ମେଦିନୀପୁର ଜିଲ୍ଲା, ପଶ୍ଚିମରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ଏବଂ ଦକ୍ଷିଣରେ ଭଦ୍ରକ ଜିଲ୍ଲା ରହିଛି । ଜିଲ୍ଲାର ଅବସ୍ଥିତ୨୦.୪୮ ରୁ ୨୧.୫୯ ଉତ୍ତର ଅକ୍ଷାଂଶ ଓ୮୬.୧୬ ରୁ ୮୭.୨୯ ଦ୍ରାଘିମା ମଧ୍ୟରେ ସୀମିତ ରହିଛି । ଜଳବାଯୁ ସାଧାରଣତଃ ଉଷ୍ମ ଓ ଆଦ୍ର ରହୁଥିବା ବେଳେ ବର୍ଷର ମେ ମାସରେ ବିଶେଷ ଗରମ ଏବଂ ଡିସେମ୍ବର ମାସ ସର୍ବାଧିକ ଶୀତ ଅନୁଭୂତ ହୁଏ । ଜିଲ୍ଲାରେ ସାଧାରଣ ଭାବେ ଜୁନ ଦ୍ୱିତୀଯ ସପ୍ତାହ ମଧ୍ୟରେ ମୌସୁମୀ ପ୍ରବେଶ କରିଥାଏ । ଜିଲ୍ଲାର ଆନୁପାତିକ ବର୍ଷା ପରିମାଣି ୧୫୬୮.୪ ମି.ମି । ଜୁନ ମାସରୁ ଡିସେମ୍ବର ମାସ ମଧ୍ୟରେ ବର୍ଷର ପ୍ରାୟ ୭୦% ବର୍ଷା ହୋଇଥିବା ରେକର୍ଡ କରାଯାଇଛି, ପାଖାପାଖି ବର୍ଷକୁ ୬୨ ଦିନ ବର୍ଷା ହେଉଥିବା ସୂଚନା ରହିଛି ।

ଜିଲ୍ଲାର ମୁଖ୍ୟତଃ ଦୁଇଟି ଉପଖଣ୍ଡରେ ବିଭକ୍ତ । ଗୋଟିଏ ହେଲା ବାଲେଶ୍ୱର ଏବଂ ଅନ୍ୟଟି ନୀଳଗିରି । ଏଥିରେ ୧୨ଟି ତହସିଲ ଏବଂ ୧୨ ଟି ବ୍ଲକ ରହିଛି । ବାଲେଶ୍ୱର ସହର ହିଁ ଜିଲ୍ଲାମୁଖ୍ୟ ସାଂସ୍କୃତିକ, ବାଣିଜ୍ୟିକ ତଥା ପ୍ରମୁଖ ବ୍ୟବସାୟିକ କେନ୍ଦ୍ର । ଜିଲ୍ଲାର ଲୋକଙ୍କ ପ୍ରମୁଖ ପେଷା ହେଲା କୃଷି । ଜିଲ୍ଲା ମୁଖ୍ୟତଃ ଧାନ ଚାଷ ନିମନ୍ତେ ବିଶେଷ ଭାବେ ପରିଚିତ । କାରଣ ଭାତ ହେଉଛି ସ୍ଥାନୀୟ ଲୋକଙ୍କ ମୁଖ୍ୟ ଖାଦ୍ୟ । ଜିଲ୍ଲାରେ ଶଙ୍କର କିସମର ବିହନ ବିକଶିତ କରାଯାଇଛି ଏବଂ ଭୂସଂସ୍କାର କାର୍ଯ୍ୟକ୍ରମକୁ ଯୋଜନା ବଦ୍ଧ ଭାବେ ଅର୍ଥନୀତିରେ ବୃଦ୍ଧି ଘଟାଇବା ଓ ଏହାକୁ ସନ୍ତୁଳିତ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି ।

ବାଲେଶ୍ୱର ଜିଲ୍ଲାର କୃଷି, ଶିଳ୍ପ, ମତ୍ସ୍ୟ ଉତ୍ପାଦନ ଓ ପର୍ଯ୍ୟଟନ ହେଉଛି ଚାରୋଟି ମୁଖ୍ୟ ରାଜସ୍ୱ ଉତ୍ସ . ବିର୍ଲା ଟାୟାର, ବାଲେଶ୍ୱର ଆଲୋଯଜ ଲିଃ, ଇମାମୀ କାଗଜ କଳ ଲିଃ, ପୋଲାର ଫାର୍ମ ଇଣ୍ଡିଆ ଲିଃ ଗୁଡିକ ଜିଲ୍ଲାର ଗୁରୁ ଉଦ୍ୟୋଗ ଭାବେ କାର୍ଯ୍ୟରତ ।

କୃଷି ବାଲେଶ୍ୱର ଜିଲ୍ଲାର ଲୋକଙ୍କ ପାଇଁ ମୁଖ୍ୟ ଅର୍ଥନୀତିର ଆଧାର । ଉପକୂଳ ଜିଲ୍ଲା ଭାବେ ବାଲେଶ୍ୱର ଉଷ୍ମ ଏବଂ ଆଦ୍ର ଜଳବାୟୁ ଉର୍ବର ପଟୁମାଟି ସହ ଖରସ୍ରୋତା ନଦୀ ଗୁଡିକର ଅବସ୍ଥିତି ଜିଲ୍ଲା ପାଇଁ ଏକ ବରଦାନ ଭାବେ ଜିଲ୍ଲାର କୃଷି ବିକାଶ କ୍ଷେତ୍ରରେ ସାହାଯ୍ୟ କରେ । ଯାହା ଧାନ, ତୈଳବୀଜ, ଡାଲିଜାତୀୟ ଶସ୍ୟ ବାଦାମ, ସୋରିଷ, ଜଡା ଏବଂ ଅଳସୀ ଜାତୀୟ ଶସ୍ୟ ଉତ୍ପାଦନରେ ସହାୟକ ହୋଇଥାଏ ।

ଶିକ୍ଷା କ୍ଷେତ୍ରରେ ଜିଲ୍ଲା ପ୍ରମୁଖତା ବଜାୟ ରଖିଛି । ସ୍ୱାଧୀନତାର ପୂର୍ବ ଓ ପରବର୍ତ୍ତୀ ସମଯରେ ଶିକ୍ଷା ମାନଚିତ୍ରରେ ଜିଲ୍ଲାର ଚିତ୍ର ବେଶ ସୁସ୍ପଷ୍ଟ । ସଂପ୍ରତି ପ୍ରାଥମିକ ଓ ମାଧ୍ୟମିକ ସ୍କୁଲଗୁଡିକ ଉଭୟ ଇଂରାଜୀ ଓ ଓଡିଆ ମାଧ୍ୟମରେ ଶିକ୍ଷାଦାନ କରୁଛନ୍ତି । ଜିଲ୍ଲାରେ ଅନେକ ସ୍ନାତକ ମହାବିଦ୍ୟାଳୟ, ଆଇନ ମହାବିଦ୍ୟାଳୟ, ଶିକ୍ଷା ମହାବିଦ୍ୟାଳୟ, ବୈଷୟିକ ମହାବିଦ୍ୟାଳୟ, ସଂଗୀତ, ଚାରୁ ଓ କାରୁକଳା ମହାବିଦ୍ୟାଳୟ, ଶିଳ୍ପ ତାଲିମ ପ୍ରତିଷ୍ଠାନ, ବ୍ୟବସାୟିକ ପରିଚାଳନା ମହାବିଦ୍ୟାଳୟ ଏବଂ କମ୍ପୁଟର ତାଲିମ ପ୍ରତିଷ୍ଠାନ ଗୁଡିକ ଶିକ୍ଷା ପ୍ରଦାନ କରୁଛନ୍ତି । ଜିଲ୍ଲାରେ ଫକୀର ମୋହନ ବିଶ୍ୱବିଦ୍ୟାଳୟ ଅବସ୍ଥିତ ।

ଜିଲ୍ଲାର ପ୍ରମୁଖ ବ୍ୟକ୍ତିବିଶେଷ ଭାବେ ବ୍ୟାସକବି ଭାବେ ପରିଚିତ ଫକୀରମୋହନ ସେନାପତି, ସମାଜସେବୀ ତଥା ଲେଖକ ଶ୍ରୀ ଲକ୍ଷ୍ମୀନାରାୟଣ ସାହୁ, ବିଖ୍ୟାତ କବି ରାଧାନାଥ ରାୟ, ଦୁର୍ଦ୍ଦଷ ଇଂରେଜ ବିରୁଦ୍ଧରେ ସମ୍ମୁଖ ସଂଗ୍ରାମ କରି ପ୍ରାଣବଳୀ ଦେଇଥିବା ସ୍ୱାଧିନତୀ ସଂଗ୍ରାମୀ ବାଘାଯତୀନ ପ୍ରମୁଖ ବାଲେଶ୍ୱର ମାଟିରେ ଭୂମିଷ୍ଠ ହୋଇଥିଲେ । ଜିଲ୍ଲାରେ ବର୍ଷତମାମ ଅନେକ ପର୍ବ, ଯାନୀଯାତ୍ରା ପାଳନ କରାଯାଇଥାଏ । ସେଗୁଡିକ ମଧ୍ୟରୁ ଦୁର୍ଗାପୂଜା, ଶିବରାତ୍ରୀ, ରଜପର୍ବ, ମକର ସଂକ୍ରାନ୍ତୀ, କାଳୀପୂଜା, ଗଣେଶ ଚତୁର୍ଥୀ, ରଥଯାତ୍ରା, ଦୋଳ ପୂର୍ଣ୍ଣିମା ପ୍ରଭୃତି ମୁଖ୍ୟ ପର୍ବ । ଏଥିସହିତ କେତେକ ଉପଭୋଗ୍ୟ କ୍ରୀଡା ତନ୍ମଧ୍ୟୁ ଆଖଡା ଯାହା ଦୁର୍ଗାପୂଜାରେ ଖେଳାଯାଏ । ସେହିପରି ମହରମରେ ମୁସଲମାନମାନଙ୍କ ଦ୍ୱାରା ମଧ୍ୟ ଏହା ପ୍ରଦର୍ଶନ କରାଯାଏ । ଜିଲ୍ଲା ମହୋତ୍ସବ ବେଳାଭୂମି ପାଇଁ ପ୍ରସିଦ୍ଧି ଅର୍ଜନ କରିବା ସହ ଦେଶ ଓ ଦେଶ ବାହାରର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । ଏଥିରେ ଚାନ୍ଦିପୁର, ତାଳସାରୀ, ଡଗରା, ଚଉମୁଖ, କଷାଫଳ ଇତ୍ୟାଦି ପ୍ରସିଦ୍ଧ ।

ମନ୍ଦିର ମାନଙ୍କ ମଧ୍ୟରେ ପଞ୍ଚୁଲିଙ୍ଗେଶ୍ୱର, କ୍ଷୀରଚୋରା ଗୋପୀନାଥ, ଲଙ୍ଗଳେଶ୍ୱର, ଲକ୍ଷ୍ମଣନାଥ, ଚନ୍ଦନେଶ୍ୱର, ମଣିନାଗେଶ୍ୱର ମନ୍ଦିରଗୁଡିକ ଆକର୍ଷଣର କେନ୍ଦ୍ରବିନ୍ଦୁ ।